ଆକାଶରୁ ବର୍ଷୁଛି ନିଆଁ, ବିଭିନ୍ନ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି..

ଆକଶରୁ ବର୍ଷୁଛି ନିଆଁ । ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାତିରେ ଆଉଟୁପାଉଟୁ ହେବ ଉପକୂଳରୁ ଉତ୍ତର ଓ ପଶ୍ଚିମ ଓଡ଼ିଶା। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ତାତି ଓ ଗୁଳୁଗୁଳି ନେଇ ଆଜି ୧୧ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ୬ ତାରିଖରୁ ଅଧିକ ରହିବ ଖରା ପ୍ରକୋପ। କିଛି ସ୍ଥାନରେ ପାରଦ ଛୁଇଁପାରେ ୪୨ ଡିଗ୍ରୀ ସେଲସିୟସ୍। ୧୦ ତାରିଖ ଯାଏଁ ଗ୍ରୀଷ୍ମଲହରି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ପବନ ବି ହୋଇପାରେ। ଗତକାଲି ଅପରାହ୍ନରେ ଭୁବନେଶ୍ବରରେ ୫୭ମିମି ବର୍ଷା ରେକର୍ଡ ହୋଇଥିଲା।