ସରିଛି ଛତିଶା ନିଯୋଗ ବୈଠକ, ରଥଯାତ୍ରା ସହ ସ୍ନାନପୂର୍ଣ୍ଣମା ପାଇଁ ନୀତି ନିର୍ଘଣ୍ଟ ନିର୍ଦ୍ଧାରିତ…

ସରିଛି ଛତିଶା ନିଯୋଗ ବୈଠକ। ବୈଠକରେ ନିଆ ଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ରଥଯାତ୍ରା ବେଳେ ଏଥର ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଏବଂ ଅଧିକାରୀ । ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ମଧ୍ୟ ଉପସ୍ଥିତ ରହିବେ। ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏଁ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ, ତା ଉପରେ ଗୁରୁତ୍ବ ଦିଆଯାଇଛି । ଜୁନ୍ ୨୭ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏ ବର୍ଷ ରଥଯାତ୍ରା ଦିନ ସକାଳ ୬ଘଟିକା ଠାରୁ ମଙ୍ଗଳା ଆଳତି ନୀତି ଅନୁଷ୍ଠିତ ହେବା ସହ ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯିବ । ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯାଇ ସାଢେ ୧୨ଟା ସୁଦ୍ଧା ସରିବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ହେବ । ସେହିପରି ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିରୀକୃତ ହୋଇଛି । ଦେବସ୍ନାନ ଦିନ ଭୋର ୫ଟାରୁ ପହଣ୍ଡି ଆରମ୍ଭ କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ ହାତୀ ବେଶ । ବାହୁଡା଼ ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ ସୁନା ବେଶ ପାଇଁ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି ।