ଡ୍ରୋନ୍ ଉଡ଼ାଣ ଉପରେ କଟକଣା: ଉପକୂଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା..

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିଥିଲେ ହେଁ ରାଜ୍ୟରୁ ହାଇଆଲର୍ଟ ହଟିନାହିଁ। ଏବେ ବି ସବୁ କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି। ଆଜି ମଧ୍ୟ ଡିଜିପିଙ୍କ କ୍ୟାମ୍ପ୍ ଅଫିସରେ ବୈଠକ ଅନୁଷ୍ଠିତ ହୋଇଛି। ଆଜିର ବୈଠକରେ ଓଡ଼ିଶାର ପୂର୍ବ ଉପକୂଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି। ରକ୍ ଡ୍ରୋନ୍ ବା ଅଜଣା ଡ୍ରୋନ୍ ଦେଖିବା ମାତ୍ରେ ଗୁଳି କରି ଖସାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନ ଓ ସମସ୍ତ ଡ୍ୟାମ୍ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯାଇଛି। ଏଡିଜି ଆଇନଶୃଙ୍ଖଳା ସଂଜୟ କୁମାର କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହ ରାଜ୍ୟ ପୁଲିସ ବିଭାଗ ରୀତିମତ ଯୋଗାଯୋଗରେ ଅଛି। ଓଡ଼ିଶାରେ ଏବେ ବି ହାଇଆଲର୍ଟ ଜାରି ରହିଛି। ପାକିସ୍ତାନ ପଟୁ ଡ୍ରୋନ୍ ଆଶଙ୍କା ଥିବାରୁ ଏବେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।