June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

୧୧୩୪ଟି ପଦ ପୂରଣ ପାଇଁ ହେବ ଉପନିର୍ବାଚନ, ଆରମ୍ଭ ହେଲା ପ୍ରକ୍ରିୟା

ରାଜ୍ଯରେ ଖାଲି ପଡ଼ିଥିବା ୧୧୩୪ଟି ପଞ୍ଚାୟତ ସ୍ତର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି । କେଉଁ ଦଳ ଖାତାକୁ କେତେ ଯିବ ସିଟ୍ ସେନେଇ ଜୋର ଧରିଲେଣି ଚର୍ଚ୍ଚା । ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୧୩୪ଟି ଖାଲି ପଡିଥିବା ପଦ ମଧ୍ୟରୁ ପାଞ୍ଚଟି ଜିଲ୍ଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେଉଥିବାବେଳେ ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବାରୁ ଉକ୍ତ ୱାର୍ଡଗୁଡ଼ିକରେ ନିର୍ବାଚନ ବନ୍ଦ ରହିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ଜିଲ୍ଲପାଳଙ୍କ ସୁପାରିସ କ୍ରମେ ଉକ୍ତ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରାଯିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଏପ୍ରିଲ ୧୭ରୁ ୨୨ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ବାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରିବେ। ସେହିଭଳି ଏପ୍ରିଲ ୨୪ରେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ ହେବ। ଏପ୍ରିଲ ୩୦ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ମେ ୨ରୁ ୫ତାରିଖ ମଧ୍ୟରେ ସମ୍ପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ। ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମେ ୯ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.