ସୁଧୁରିବ ଟ୍ରାଫିକ୍ ବ୍ୟବସ୍ଥା, ୨ହଜାର ନୂତନ ପଦବୀ ସୃଷ୍ଟି

ଭୁବନେଶ୍ବର: ୨ହଜାର ନୂତନ ପଦବୀ ସୃଷ୍ଟି ହୋଇଛି । ଟ୍ରାଫିକ୍ ଓ ସଡକ ସୁରକ୍ଷା ବ୍ୟବସ୍ଥା ସୁୁଦୃଢ଼ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ । ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାସ୍ତରରେ ୧୯୩୦ଟି ପଦବୀ ସୃଷ୍ଟି କରାଯାଇଛି । ସୃଷ୍ଟି ହୋଇଥିବା ରାଜ୍ୟସ୍ତରୀୟ ପଦବୀ ମଧ୍ୟରେ ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ଟି ପଦବୀ, DSP ୪ଟି, Inspector ୬ଟି, SI ୮ଟି, ASI ୮ଟି, କନେଷ୍ଟବଲ ୨୨ଟି, ଡ୍ରାଇଭର ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ଟି ପଦବୀ ସୃଷ୍ଟି ହୋଇଛି।
ସେହିପରି ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବୀସୃଷ୍ଟି କରାଯାଇଛି । ଡି.ଏସ୍.ପି. ୫ଟି ପଦବୀ, Inspector ୪୧ଟି ପଦବୀ ସବ୍- ଇନ୍ସପେକ୍ଟର ୮୩ଟି ପଦବୀ, ଏ.ଏସ୍.ଆଇ. ୮୩ଟି ପଦବୀ, ହାବିଲ୍ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି । ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।