June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା ବାର୍ଷିକ କ୍ୟାଲେଣ୍ଡର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି କ୍ୟାଲେଣ୍ଡର । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହା ଲୋକାର୍ପିତ ହୋଇଅଛି । ସେହିପରି ପ୍ରଥମ ଥର ଲାଗି ପ୍ରକାଶିତ ଶ୍ରୀମନ୍ଦିରର ସୁଦୃଶ୍ୟ ସୂଚନା ପୁସ୍ତିକାର ମଧ୍ୟ ଲୋକାର୍ପଣ ହୋଇଛି । ଏହି ଅବସରରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବର୍ଷ ତମାମ ( ୨୦୨୫ ମସିହାର ମହାବିଷୁବ ସଂକ୍ରାନ୍ତି ଠାରୁ ୨୦୨୬ ମସିହା ରାମାଭିଷେକ ନୀତି ପର୍ଯ୍ୟନ୍ତ) ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ଦିନ ତଥା ଯାନିଯାତ୍ରା ଦିବସଗୁଡିକର ସୂଚନା ଏହି ଆକର୍ଷଣୀୟ କ୍ୟାଲେଣ୍ଡରରେ ରହିଅଛି । ଶ୍ରୀମନ୍ଦିର ସେବକ ନିଯୋଗଗୁଡିକ ସହ ମୁକ୍ତିମଣ୍ଡପ ଏବଂ ରାଜ୍ୟର ପ୍ରମୁଖ ପାଂଜିକାରଙ୍କୁ ନେଇ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣି ତିଥିଗୁଡିକ ସ୍ଥିରୀକୃତ ହୋଇଅଛି।

ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରଗୁଡିକରେ ଏହି କ୍ୟାଲେଣ୍ଡର୍ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସକାଶେ କ୍ରୟ ପାଇଁ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ଓଡିଆ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଦପଦ୍ମରେ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.