ତଥ୍ଯ ଲୁଚାଉଥିଲା ପାକିସ୍ତାନ, ମୁଖା ଖୋଲି ଦେଲେ ଭାରତର DGMO…

ଅସ୍ତ୍ରବିରତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୋମବାର ଡିଜିଏମଓ ସ୍ତରର ଆଲୋଚନା ହୋଇଛି । ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ସଂଧ୍ୟାରେ ଶେଷ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ବାର୍ତ୍ତା ପ୍ରଥମେ ଅପରାହ୍ଣ ୧୨ଟାରେ ହେବା ପାଇଁ ସ୍ଥିର କରାଯାଇଥିଲା, କିନ୍ତୁ କିଛି କାରଣ ଯୋଗୁଁ ଏହାକୁ ବଢାଇ ସଂଧ୍ୟାରେ କରାଯାଇଥିଲା । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, “ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା ଓ ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା ।” ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍ ଟାର୍ଗେଟ୍ କଲା, ତାହା ଦେଖାଇବା ସହ ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ । ଏହାସହ ପ୍ରେସ ବ୍ରିଫିଂ ସମୟରେ ଶତ୍ରୁ ଦେଶର ମିସାଇଲର ଭଗ୍ନାବଶେଷ ମଧ୍ୟ ଦେଖାଇଛନ୍ତି । ଭାରତୀ କହିଛନ୍ତି ଯେ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଆମେ କେବଳ ଟାର୍ଗେଟ କରିଥିଲୁ। ରବିବାର ବିଳମ୍ବିତ ରାତିରେ ପାକ୍ ସେନା ସ୍ଵୀକାର କରିଥିଲା ଯେ, ତାଙ୍କର କେବଳ ଗୋଟିଏ ଯୁଦ୍ଧ ବିମାନର ଆଂଶିକ କ୍ଷତି ହୋଇଛି। ପାକିସ୍ତାନ ପକ୍ଷରୁ ଭାରତର ସାମରିକ ଘାଟି ଏବଂ ଜନସାଧାରଣଙ୍କୁ ଟାର୍ଗେଟ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଟାର୍ଗେଟକୁ ଭାରତ ନିଷ୍ଫଳ କରିଦେଇଥିଲା। ପାକିସ୍ତାନ ଚୀନ କ୍ଷେପଣାସ୍ତ୍ର(ପିଏଲ-୧୫)କୁ ବ୍ୟବହାର କରିଥିଲା। ଯାହାକୁ ଆମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ଵାରା ନଷ୍ଟ କରିଦିଆଯାଇଥିଲା। ସେହିପରି ଶତାଧିକ ତୁର୍କୀ ଡ୍ରୋନ ‘ଇହା’କୁ ମଧ୍ୟ ନଷ୍ଟ କରିଦିଆଯାଇଛି ବୋଲି ଭାରତୀ କହିଥିଲେ।