ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ରାମକୃଷ୍ଣ ଦାସମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ…

ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦୀଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୈଫିୟତ ମଗା ଯାଇଥିଲା । ଆଜି ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି । ସେ ୩୦ ଦିନ ଯାଏ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ କିମ୍ବା କୌଣସି ସେବାରେ ନିୟୋଜିତ ହେବେ ନାହିଁ । ଶ୍ରୀମନ୍ଦିର ମର୍ଯ୍ୟାଦା କ୍ଷୂଣ୍ଣ କରିଥିବା ଅଭିଯୋଗରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବିତ କରିଛନ୍ତି ।
ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକ ଚମକ ଦେବେ ନାହିଁ କିମ୍ବା ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ, ନିଲମ୍ବନ ଅବଧିକୁ ବଢ଼ାଇ ଦିଆଯିବ । ଏହା ସହିତ ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ।