ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: ଜାଣନ୍ତୁ କଣ ରହିଛି ସୁବିଧା, କିଏ ପାଇବେ ଲାଭ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା
ଆଜିଠାରୁ ଓଡ଼ିଶାରେ ମିଳିତ ଭାବେ ଶୁଭାରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ପାଇଁ କଟକର ବାଲିଯାତ୍ରା ପଡ଼ିଆରେ ଏକ ମେଗା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଜୁଏଲ ଓରାମ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।
କ’ଣ ରହିଛି ଏହି ଯୋଜନାର ବିଶେଷତ୍ୱ?
–ମାଗଣା ସ୍ୱାସ୍ଥ୍ୟସେବା: ରାଜ୍ୟର ୧.୩ କୋଟି ପରିବାରର ପ୍ରାୟ ୩.୫ କୋଟି ଲୋକ ଏହି ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପାଇବେ।
– ଆୟୁଷ୍ମାନ ବୟୋବନ୍ଦନା : ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକ ଏହି ଯୋଜନାରେ ସାମିଲ କରାଯିବେ। ରାଜ୍ୟରେ ଏମାନଙ୍କ ସଂଖ୍ୟା ପ୍ରାୟ ୨୩.୧୩ ଲକ୍ଷ। ଏଥିମଧ୍ୟରୁ ପ୍ରାୟ ୬ ଲକ୍ଷ ନୂଆ ହିତାଧିକାରୀ ଯୋଡ଼ା ଯିବେ।
ଚିକିତ୍ସା ସୁବିଧା:
– ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା।
– ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା।
– ହସ୍ପିଟାଲ ସୁବିଧା: ଦେଶର ୨୯,୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳିବ।
– ଗୋଟିଏ ପରିବାରରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିବ ।
ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ପାଇଁ ଯୋଗ୍ୟତା:
– ୭୦ ବର୍ଷରୁ କମ୍ ବୟସର ବ୍ୟକ୍ତି।
– ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବ୍ୟକ୍ତି।
– ରାସନ କାର୍ଡରେ ନାମ ଥିବା ବ୍ୟକ୍ତି।
– ଆଶାକର୍ମୀମାନେ ଘରକୁ ଘର ବୁଲି କାର୍ଡ ବଣ୍ଟନ କରିବେ।
– ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଲଗା କାର୍ଡ ପ୍ରଦାନ କରାଯିବ।
କେମିତି ମିଳିବ ସୁବିଧା?
– ଇ-କେୱାଇସି: ଆୟୁଷ୍ମାନ କାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ।
– ଚିକିତ୍ସା: ୨୯,୦୦୦ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା।
– ମହିଳାଙ୍କ ପାଇଁ: ଅତିରିକ୍ତ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା।
– ଓଡ଼ିଶା ବାହାରେ: ଓଡ଼ିଶା ବାହାରେ ରହୁଥିବା ଲୋକେ ମଧ୍ୟ ଏହି ସୁବିଧା ପାଇପାରିବେ।
– ବୟୋବନ୍ଦନା: ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଏହି ଯୋଜନାରେ ସାମିଲ କରାଯିବ।
ରାଜ୍ୟବ୍ୟାପୀ ଆୟୋଜନ:
କଟକ ବାଲିଯାତ୍ରା ପଡ଼ିଆ ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ କରିବେ। ଏହା ସହିତ, ରାଜ୍ୟର ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହି ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶାବାସୀଙ୍କ ପାଇଁ ଏକ ନୂଆ ଆରମ୍ଭ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଏହା ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
ଆପଣଙ୍କୁ ଏହି ଯୋଜନା ସମ୍ପର୍କରେ କଣ ମତାମତ ରହିଛି କମେଣ୍ଟରେ ଜଣାନ୍ତୁ ।