ଝାଡାବାନ୍ତିରେ ଚାଲିଗଲା ଦୁଇ ନିରୀହ ଜୀବନ !

ଯାଜପୁରରେ ବୃଦ୍ଧି ପାଇବାରେ ଲାଗିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଅଣାୟତ୍ତ ହେବାରେ ଲାଗିଛି ସ୍ଥିତି । ଏହାରି ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ୟାସନଗର ସ୍ଥିତ ଯାଜପୁର ରୋଡ ସିଏଚ୍ସିରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧ ବର୍ଷର ଝିଅ ସୁଧୀନି ମୁର୍ମୁ ଏବଂ ୨୫ ବର୍ଷିୟା ପୂଜା ସାମାଡ଼ ବୋଲି ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କିଛି ସୂଚନା ପ୍ରଦାନ କରାଯାଇ ନାହିଁ । ଯାହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ସୁଦ୍ଧା ୧୦ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇସାରିଛି । ଖବର ଅନୁଯାୟୀ, ଗତ କିଛି ଦିନ ହେବ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତର ଭାବେ ସଂକ୍ରମିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି । ତେବେ ଡାଇରିଆ ଏବେ ରାଜ୍ଯର 8ଟି ଜିଲ୍ଲାକୁ ବ୍ୟାପି ସାରିଥିବା ବେଳେ ଦୂଷିତ ପାଣି ଓ ଖାଦ୍ୟ ପାଇଁ ଏପରି ହେଉଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି ।