ରାଜଧାନୀକୁ ଡରାଇଲେଣି ଡାଇରିଆ..

ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱର କୁ ଡରାଇଲେଣି ଡାଇରିଆ । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ୱରେଜ ଜଳ ଓ ପାନୀୟ ଜଳ ମିଶିଯିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆପାର୍ଟମେଣ୍ଟକୁ ପାନୀୟ ଜଳ ସଂଯୋଗ ନଥିବା ଏବଂ ଭୂତଳ ଜଳ ପିଉଥିବାରୁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୁଇରୁ ତିନି ମାସ ହେଲା ଆପାର୍ଟମେଣ୍ଟର ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହେଲେଣି ଏବଂ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରୁଛନ୍ତି । ପାନୀୟ ଜଳରେ ସ୍ୱରେଜ ଜଳ ମିଶୁଥିବାରୁ ଜଳ ଦୂଷିତ ହେଉଛି । ଏହାକୁ ପିଇ ଝାଡ଼ାବାନ୍ତିରେ ପଡୁଛନ୍ତି । ଏହି ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଆସି ବିଭିନ୍ନ ପରାମର୍ଶ ଦେଇଥିଲେ ହେଁ ଝାଡାବାନ୍ତି ଲାଗି ରହିଥିବା ସେ ଅଭିଯୋଗ କରିଛନ୍ତି ।ସେପଟେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ରହିଛି । ଝାଡ଼ାବାନ୍ତିରେ ମୋଟ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ୫୦୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି । ଏହାସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର ।