June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଶୃଙ୍ଖଳିତ ହେବ ସ୍ନାନ ଯାତ୍ରା, ଆରମ୍ଭ ହେଲାଣି ପ୍ରସ୍ତୁତି

ଆସନ୍ତା ଜୁନ୍ ୧୧ ତାରିଖରେ ପବିତ୍ର ସ୍ନାନ ଯାତ୍ରା ଓ ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସ୍ନାନ ଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଇତାପତି ନିଯୋଗ ସଭାପତି, ବାଡଗ୍ରାହୀ ଏବଂ ପୂଜାପଣ୍ଡା ନିଯୋଗର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ମହାପ୍ରଭୁଙ୍କ ନୀତିକୁ କିଭଳି ନିର୍ଦ୍ଧାରିତ ସମୟରେ କରାଯିବ, ନୀତିକୁ ଶୃଙ୍ଖଳିତ କରାଯିବ ଏବଂ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇ ସବିଶେଷ ଆଲୋଚନା ହୋଇଥିଲା । 

ପୂର୍ବ ବର୍ଷ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବିଭ୍ରାଟ ହୋଇଥିବା ବେଳେ ଚଳିତ ବର୍ଷ ଏହାର କିଭଳି ପୁନରାବୃତ୍ତି ନହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ରଥ ଉପରେ ମୋବାଇଲ୍ ବ୍ୟବହାର ଉପରେ କଟକଣା, ରଥ ଉପରେ ଅଧିକ ସେବାୟତ ଯେଭଳି ଉପସ୍ଥିତ ନ ରୁହନ୍ତି ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ସ୍ନାନ ଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ୨୧ ରେ ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଚୂଡାନ୍ତ ଅନୁମୋଦନ କରାଯିବା ସହ ଏହା କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିବ ସେନେଇ ଆଲୋଚନା କରାଯିବ । 

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.