୪୦ ନୂଆ ଆପ୍ ଲଞ୍ଚ କରିିବ ଭାରତୀୟ ନିର୍ବାଚନ ଆୟୋଗ

ବିଜୟ ପଥ: ମତଦାତାଙ୍କ ପାଇଁ ନୂଆ ଆପ୍ ଲଞ୍ଚ କରିବାକୁ ଯାଉଛି ଭାରତୀୟ ନିର୍ବାଚନ ଆୟୋଗ । ECINET ନାଁରେ ଏକ ଆପ୍ ଲଞ୍ଚ କରିବା ନେଇ ଯୋଜନା କରୁଛନ୍ତି ଇସିଆଇ । ଏହି ଡିଜିଟାଲ ପ୍ଲାଟଫର୍ମ ଲଞ୍ଚ କରିବାର ଉଦ୍ଦେଶ୍ୟ ହେଉଛି ୪୦ ମୋବାଇଲ ଓ ୱେବ ଆପ୍ଲିକେସନରୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା । ଯାହାଦ୍ବାରା ଦେଶର ଭୋଟର, ପୋଲିଂ ଅଫିସର ଓ ରାଜନୈତିକ ଦଳ ସମେତ ସାଧାରଣ ଲୋକଟିଏ ଗୋଟିଏ ସ୍ଥାନରେ ଅତି ସହଜରେ ସୂଚନା ପାଇପାରିବେ । ନିର୍ବାଚନ କମିଶନ ଦ୍ବାରା ଆରମ୍ଭ ହେବାକୁ ଯାଉଥିବା ECINET ନାମକ ପ୍ଲାଟଫର୍ମରେ ଦେଶର କୋଟି କୋଟି ଲୋକ ଆପ୍ ଏବଂ ୱେବ୍ ମାଧ୍ୟମରେ ଏହି ପ୍ଲାଟଫର୍ମ ବ୍ୟବହାର କରିପାରିବେ । ଏହି ପ୍ଲାଟଫର୍ମ ସାହାଯ୍ୟରେ ନିର୍ବାଚନ ସମ୍ବନ୍ଧୀୟ ଅନେକ କାର୍ଯ୍ୟ ଗୋଟିଏ ସ୍ଥାନରେ କରାଯାଇପାରିବ ।
ECINET ଆପ୍ରୁ କଣ ମିଳିବ ଫାଇଦା ?
ଏହି ଡିଜିଟାଲ୍ ପ୍ଲାଟଫର୍ମ କେବଳ ଭୋଟରଙ୍କୁ ନୁହେଁ ବରଂ ୧୦.୫ ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀ (BLO), ୪୫ ଲକ୍ଷ ପୋଲିଂ ଅଧିକାରୀ, ୧୫୫୯୮ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO), ୪୧୨୩ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଏବଂ ୭୬୭ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)ଙ୍କୁ ମଧ୍ୟ ସାହାଯ୍ୟ କରିବ । ନିର୍ବାଚନ ସମୟରେ ସେମାନଙ୍କର କାମ ମଧ୍ୟ ସହଜ ହୋଇପାରିବ । ଗୋଟିଏ ଆପ୍ରେ ହିଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିବ ।