ଆସନ୍ତାକାଲି ଅନୁକୂଳ ହେବ ଅକ୍ଷି ମୁଠି, ଜାଣନ୍ତୁ କ’ଣ ରହିିଛି ଅକ୍ଷୟ ତୃତୀୟାର ପୌରାଣିକ କିମ୍ବଦନ୍ତୀ…

ବିଜୟ ପଥ: ଆସନ୍ତାକାଲି ଅକ୍ଷୟ ତୃତୀୟା, ଅନୁକୂଳ ହେବ ଅକ୍ଷି ମୁଠି । ତେବେ ଅକ୍ଷୟ ତୃତୀୟା ଓଡ଼ିଶାରେ ଏକ ପବିତ୍ର ଓ ଗୁରୁତ୍ଵପୂର୍ଣ୍ଣ ପର୍ବ। ଏହା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ। ଏହି ଦିନଟି ସମୃଦ୍ଧି, ସୌଭାଗ୍ୟ ଓ ନୂଆ ଆରମ୍ଭର ପ୍ରତୀକ ଭାବେ ବିବେଚିତ। ଓଡ଼ିଶାବାସୀଙ୍କ ପାଇଁ ଏହାର ମୁଖ୍ୟ ମହତ୍ତ୍ବ ହେଉଛି, ଏହି ଦିନ ସୁନା କିଣା, ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିଶ୍ଵାସ କରାଯାଏ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି “ଅବିନାଶୀ” , ଯାହାର ଅର୍ଥ ହେଉଛି ଯାହା କେବେ ବିନାଶ ହୁଏ ନାହିଁ । ତେଣୁ ଏହି ଦିନ କରାଯାଇଥିବା କାର୍ଯ୍ୟର ଫଳ ଶୁଭ ହୋଇଥାଏ ବୋଲି ଆଶା କରାଯାଏ ।
ଚାଷୀଙ୍କ ପାଇଁ ଅକ୍ଷୟ ତୃତୀୟାର ଗୁରୁତ୍ଵ ଅନନ୍ୟ। ଓଡ଼ିଶାରେ ଏହି ଦିନଟି ଚାଷ କାର୍ଯ୍ୟ ଆରମ୍ଭ ପାଇଁ ଏକ ଶୁଭ ଦିନ ବୋଲି ଗଣାଯାଏ। ଚାଷୀମାନେ ଏହି ଦିନ ନୂଆ ଚାଷ ଋତୁର ଆରମ୍ଭ କରନ୍ତି, ବିହନ ବୁଣନ୍ତି ଏବଂ ଭଗବାନ ବଳଭଦ୍ରଙ୍କୁ ପୂଜା କରନ୍ତି। ଏହା ଏକ ପରମ୍ପରା ଯେ, ଚାଷୀମାନେ ଏହି ଦିନ ନିଜ ଜମିରେ ହଳ ଲଗାଇ କିଛି ପ୍ରତୀକାତ୍ମକ ଚାଷ କରନ୍ତି, ଯାହା ଏକ ଭଲ ଫସଲ ଓ ସମୃଦ୍ଧିପୂର୍ଣ୍ଣ ଚାଷ ଋତୁର ଆଶା ଜଗାଇଥାଏ। ଏହା ସହିତ, ଚାଷୀ ପରିବାରମାନେ ଏହି ଦିନ ନୂଆ ବସ୍ତ୍ର ପିନ୍ଧି, ପୂଜାପାଠ କରି ଓ ପରସ୍ପରକୁ ଶୁଭେଚ୍ଛା ଜଣାଇ ଉତ୍ସବ ପାଳନ କରନ୍ତି। ଅକ୍ଷୟ ତୃତୀୟା ଓଡ଼ିଶାରେ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ସାମାଜିକ ଓ ସାଂସ୍କୃତିକ ଐକ୍ୟର ଏକ ପ୍ରତୀକ। ଏହି ଦିନ ଗ୍ରାମାଞ୍ଚଳରେ ଚାଷୀଙ୍କ ମଧ୍ୟରେ ଆନନ୍ଦ, ଆଶା ଓ ନୂଆ ଆରମ୍ଭର ମନୋଭାବ ଆଣିଥାଏ।
ଅକ୍ଷୟ ତୃତୀୟାର ପୌରାଣିକ କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ କୁବେରଙ୍କୁ ଧନର ଦେବତା ଭାବେ ଅଭିଷିକ୍ତ କରାଯାଇଥିଲା। ତେଣୁ ଏହି ଦିନ ଧନ-ସମ୍ପଦ ଓ ସମୃଦ୍ଧି ଆହରଣ ପାଇଁ ଶୁଭ ବୋଲି ବିଚାର କରାଯାଏ। ମହାଭାରତ ସହ ଜଡ଼ିତ ଆଉ ଏକ କାହାଣୀ ଅନୁସାରେ, ଏହି ଦିନ ପାଣ୍ଡବମାନଙ୍କୁ ସୂର୍ଯ୍ୟଦେବଙ୍କ ତରଫରୁ ‘ଅକ୍ଷୟ ପାତ୍ର’ ପ୍ରାପ୍ତ ହୋଇଥିଲା, ଯାହା କେବେ ଖାଲି ହୁଏନାହିଁ।
ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ। ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି। ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ପୌରାଣିକ କାଳରେ ଅକ୍ଷୟ ତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ। ଅକ୍ଷୟ ତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ। ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ। ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରି ଦିଅନ୍ତି ବୋଲି ବିଶ୍ଵାସ ଅଛି।