June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ

ପୁରୀ: ୨ ମାସ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର କାର୍ଯ୍ୟ । ଆଗାମୀ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଅନବସର ଏବଂ ରଥଯାତ୍ରା ସମ୍ପର୍କିତ ନୀତି ସମ୍ପାଦନ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୨୯ ତାରିଖ ଠାରୁ ଜୁନ୍‌ ୨୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଧରି ସ୍ଥଗିତ ରହିବ । ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ASI ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଛତିଶାନିଯୋଗ ନାୟକ, ଭଣ୍ଡାର ମେକାପ, ତଢାଉକରଣ, ଦେଉଳକରଣଙ୍କ ସମେତ ସମ୍ପୃକ୍ତ ବରିଷ୍ଠ ସେବକ ମାନେ ଉପସ୍ଥିତ ଥିଲେ ।

ଆଗମୀ ଦିନରେ ନୀତି ବହୁଳତା ଦୃଷ୍ଟିରୁ ମରାମତି କାର୍ଯ୍ୟ ସ୍ଥଗିତ ରଖାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ନଜରରେ ରଖି ଶନିବାର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ASI ପକ୍ଷରୁ ରତ୍ନ ଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା।

କହିରଖୁ କି, ଡିସେମ୍ବର ୧୭ ତାରିଖରୁ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ସମୟରେ ବିଶେଷ ନୀତି ସକାଶେ କାର୍ଯ୍ୟ ବନ୍ଦ ରହିଥିଲେ ହେଁ ଏପ୍ରିଲ ୨୫ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟର କାର୍ଯ୍ୟ ହୋଇସାରିଛି । ସ୍ଥାୟୀ ମରାମତି ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ASI ଏହି ସମ୍ବେଦନଶୀଳ କାର୍ଯ୍ୟକୁ ଗୁରୁତ୍ୱର ସହ ସମ୍ପାଦନ କରୁଥିବାରୁ ମୁଖ୍ୟ ପ୍ରଶାସକ ASI କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.