ତତଲା କଢ଼େଇରେ ସିଝୁଛି ଓଡି଼ଶା, ରାଜ୍ୟରେ ରେଡ୍ ଆଲର୍ଟ

ଭୁବନେଶ୍ବର: ଜଳୁଛି ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି । ୪୦ ଡିଗ୍ରୀ ଉପରେ ରହିବ ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ଖରା । ୪୦ ଡିଗ୍ରୀରୁ ଅଧିକ ରହିବ ପାରଦ ।
ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ୪୦ରୁ ୩୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ଏଥିପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟରେ ୪୫ ଡିଗ୍ରୀ ପାର କରିଥିଲା ପାରଦ। ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦେଶର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ।
ସେହପରି ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିବ । ସ୍ୱାଭାବିକଠାରୁ ଅଧିକ ରହିବ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା । ଚଳିତ ଗ୍ରୀଷ୍ମ ଋତୁ ପାଇଁ ଏଭଳି ପୂର୍ବାନୁମାନ କରିଥିଲେ ଭାରତୀୟ ପାଣିପାଗ ବିଭାଗ (IMD) । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ।