ଗାଁ ଶ୍ମଶାନରେ ଆଶୀର୍ବାଦର ଅନ୍ତିମ ସଂସ୍କାର, ଅଭିଯୁକ୍ତକୁ ଫାଶୀ ଦଣ୍ଡ ପାଇଁ ଦାବି…

ପୁରୀ: ଏକ ଶୋକାକୂଳ ପରିବେଶ ମଧ୍ୟରେ ଆଶୀର୍ବାଦକୁ ଅନ୍ତିମ ବିଦାୟ ଦେଲେ ପରିବାର ତଥା ଗ୍ରମବାସୀ । ଗାଁ ଶ୍ମଶାନରେ ହେଲା ଆଶୀର୍ବାଦର ଅନ୍ତିମ ସଂସ୍କାର । ଏହି ଅବସରରେ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ଗାଁରୁ ନିଶା କାରବାରକୁ କଠୋର ହସ୍ତରେ ଦମନ କରିବାକୁ ଗାଁ ଲୋକେ ଦାବି କରି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିସହିତ ଅଭିଯୁକ୍ତ ବାପି ସାହୁ ଆଶୀର୍ବାଦ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ତାଙ୍କୁ ହତ୍ୟା କରିଛି ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଡେଲାଙ୍ଗ ଓକିଲ ସଂଘ ମଧ୍ୟ ବାପି ପକ୍ଷରୁ କେସ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି।
ସୂଚନା ଥାଉକି, ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ । ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଘର ବାରଣ୍ଡାରେ ଖେଳୁ ଖେଳୁ ଆଉ ପତ୍ତା ମିଳିନଥିଲା । ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ଛାନଭିନ୍ନ ପରେ ମଧ୍ୟ କିଛି ଖବର ମିଳି ନଥିବା ବେଳେ ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।
କ୍ରାଇମ ବ୍ରାଞ୍ଚ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିଥିଲା ।ପ୍ରଥମେ ଅପହରଣ ଓ ପରେ ଆଶୀର୍ବାଦକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି । ୧୫ ତାରିଖ ଦିନ ଅପହରଣ କରିବା ପରେ ସେଦିନ ସନ୍ଧ୍ୟାରେ ଆଶୀର୍ବାଦକୁ ହତ୍ୟା କରିଥିଲା ପିଶାଚ । ଆଉ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପାଇଖିନା ଟାଙ୍କିରେ ଫିଙ୍ଗି ଦେଇଥିଲା ।ପୋଲିସ ଜେରାବେଳେ ଅଭିଯୁକ୍ତ ବାପି ସାହୁ ସବୁ ସତ ଓଗାଳିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ନିରୀହ ୧୧ ବର୍ଷର ବାଳକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସଇତାନ ଦାଦା ।