କାଳବୈଶାଖୀରେ ଭିଜିବ ଓଡି଼ଶା, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

ଭୁବନେଶ୍ବର: ୧୯ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବିଜୁଳି, ଘଡ଼ଘଡ଼ି ସହ ବର୍ଷା । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ରାୟଗଡା ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ବିଜୁଳି, ଘଡ଼ଘଡ଼ି, କୁଆପଥର ମାଡ଼ ସହ ଘଣ୍ଟାପ୍ରତି ୫୦ରୁ ୬୦ରୁ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ରୁ କିମି ବେଗରେ ପବନ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ରୁ କିମି ବେଗରେ ପବନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମାଝଡ଼ ସହ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଠାରୁ ସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞଳକୁ ବ୍ୟାପି ରହିଛି । ଆଗାମୀ ୩ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଅନ୍ୟପଟେ କଟକରେ ବେହାଲା କଲା କାଳବୈଶାଖୀ। ପ୍ରବଳ ବର୍ଷା ପରେ କଟକ ସହରର ବିଭିନ୍ନ ଅଂଚଳରେ ସ୍ଥିତି ସଂଗୀନ ହୋଇଛି। ଏବେ ବି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ବିଶେଷ କରି ବକ୍ସ ଡ୍ରେନକୁ ସଂଯୋଗ କରୁଥିବା ଫ୍ରେଣ୍ଡସ କଲୋନୀ ରାସ୍ତା, କେଶରପୁର ରାସ୍ତା, ସେମିନାରୀ ଛକ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ହୋଇପାରୁନି ବର୍ଷା ଜଳ ନିଷ୍କାସନ। ବଡ ବଡ ଡ୍ରେନ ଜାମ ଥିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି ।