ରାଜଧାନୀରେ ଝାଡ଼ାବାନ୍ତି ଆତଙ୍କ, ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ

ଭୁବନେଶ୍ଵର: ରାଜଧାନୀରେ ବ୍ୟାପିଲା ଝାଡ଼ାବାନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କାମ କରୁନି ସରକାରୀ ଔଷଧ । ଭୁବନେଶ୍ୱର ୧୩ ନମ୍ବର ୱାର୍ଡ ନୀଳମାଧବ ନିବାସରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କିଛି ଲୋକ ନୀଳାଦ୍ରି ବିହାର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଉ କିଛି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାଣି ସମ୍ପରୁ ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ପିଲାଠୁ ବୁଢା ଝାଢାବାନ୍ତିରେ ନୟାନ୍ତ ଲୋକେ ।
୫ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବାରୁ ନୟାନ୍ତ ହେଲେଣି ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପାଣି ସମ୍ପ ଭିତରେ କାଦୁଅ ରହୁଛି। ସିମେଣ୍ଟ ଅଖା, କାଠ, ବଲ୍ ବାହାରୁଛି। ଏହି ଦୂଷିତ ପାଣି ପିଇ ସ୍ଥାନୀୟ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ଚିକିତ୍ସା କରିବା ସହ ଆକ୍ରାନ୍ତଙ୍କୁ ଔଷଧ ଦେଇଛି। ଗୁରୁତରଙ୍କୁମେଡିକାଲ ପଠାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏନେଇ ଅନୁଧ୍ୟାନ କରୁଛନ୍ତି। ଅନ୍ୟପଟେ ପାଣି ପରୀକ୍ଷା କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।