June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ମୁର୍ଶିଦାବାଦରେ ଜଳୁଛି ନିଆଁ: ୱାକଫ ଆଇନ ନେଇ ହିଂସା

ୱାକଫ ଆଇନକୁ ନେଇ ଜଳୁଛି ମୁର୍ଶିଦାବାଦ । ତେଜିବାରେ ଲାଗିଛି ଅସନ୍ତୋଷ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବ୍ୟାପକ ହିଂସାରେ ୩ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୧୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ହିଂସାରେ ୧୫୦ ଜଣ ଗିରଫ ହୋଇଛନ୍ତି । ମାତ୍ର ମୁର୍ଶିଦାବାଦରେ ହିଂସା ଥମିବାର ନାଁ ନେଉ ନାହିଁ । ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରୁଛନ୍ତି । ବିଭିନ୍ନ ସ୍ଥାନରେ ବିକ୍ଷେଭ ଜାରିି ଥିବା ବେଳେ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିବା ସହ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସେପଟେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରି ଜରୁରୀ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଜ୍ୟର ସୁତି, ଧୁଲିଆନ, ସମଶେରଗଞ୍ଜ ଓ ଜାଙ୍ଗିପୁର ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି । ବିଭିନ୍ନ ସ୍ଥାନରେ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ହିଂସାକୁ ଦମନ କରିବା ଲାଗି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଲୋକଙ୍କ ନିରାପତ୍ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୩୦୦ ବିଏସଏଫକୁ ମୁତୟନ କରାଯାଇଛି । ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟର୍ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ ନିଜେ ମୁର୍ଶିଦାବାଦରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଡିଜିପିଙ୍କ ସହ ମଧ୍ୟ ଏକ ବୈଠକ କରିଛନ୍ତି । ଏନେଇ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ କହିଛନ୍ତି ଯେ, କୋଲକାତା ହାଇକୋର୍ଟ ହିଂସା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଙ୍ଗଲ ପୋଲିସକୁ ସାହାଯ୍ୟ କରିବା ପାଇଁ ୫ଟି କମ୍ପାନୀ ପଠାଯାଇଛି । ପ୍ରତ୍ୟେକ ପରିସ୍ଥିତି ପାଇଁ ବିଏସଏଫ ପ୍ରସ୍ତୁତ । ପରିସ୍ଥିତିକୁ ଆହୁରି ଖରାପ ହେବାକୁ ଦିଆଯିବ ନାହିଁ ବୋଲିି ଆଇଜି କର୍ଣ୍ଣି ସିଂହ କହିଛନ୍ତି ।

ସୂଚନା ଥାଉକି, ଦକ୍ଷିଣ ୨୪ ପ୍ରଗଣା , ହୁଗୁଳି , ମାଲ୍‌ଦା , ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଗତକାଲିଠାରୁ ଆରମ୍ଭ ହୋଇଥିବା ଦଙ୍ଗା ଗତରାତିରେ ଭୟାନକ ରୂପ ନେଇଥିଲା । ଆନ୍ଦୋଳନକାରୀଙ୍କ ଏଭଳି ଉଗ୍ର ରୂପ ଦେଖି ଲୋକେ ଭୟରେ ଘରୁ ବାହାରିପାରୁ ନାହାନ୍ତି । ଧାରା ୧୬୩ ଜାରି ସତ୍ତ୍ବେ ଅନେକ ସ୍ଥାନରେ ଦଙ୍ଗାକାରୀମାନେ ଦୋକାନ ବଜାର ଓ ଲୋକଙ୍କ ଘର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.