June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଗୋଟିଏ ଘଣ୍ଟାରେ ୪ ଥର ଭୂକମ୍ପ, ଥରିଲା ଭାରତ, ମିଆଁମାର ଓ ତାଜିକିସ୍ତାନ

ବିଜୟ ପଥ: ଗୋଟିଏ ଘଣ୍ଟାରେ ୪ ଥର ଭୂକମ୍ପ । ଭାରତ ସମେତ ମିଆଁମାର ଓ ତାଜିକିସ୍ତାନରେ ଭୂକମ୍ପ ଝଟକା । ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ହୋଇଥିବା ବେଳେ ଭାରତ ଓ ମିଆଁମାରରେ ଥରେ ଲେଖାଏଁ ଝଟକା ଲାଗିଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଗୋଟିଏ ଘଣ୍ଟା ମଧ୍ୟରେ ତାଜିକିସ୍ତାନରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ନହିଁ ।

ସେହିପରି ଭାରତର ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ସକାଳ ପ୍ରାୟ ୯.୧୮ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଜୟଦେବୀ ନିକଟରେ ୫ କିଲୋମିଟର ଗଭୀରତାର ଥିଲା । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । କହିବାକୁ ଗଲେ ଉତ୍ତର ଭାରତର ସୁନ୍ଦରନଗର ସହର ପୂର୍ବରୁ ଭୂମିକମ୍ପ ଦୃଷ୍ଟିରୁ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏହା ଜୋନ୍-୫ ବର୍ଗରେ ପଡ଼ିଥାଏ। ଯେଉଁଠାରେ ୫ରୁ ଅଧିକ ତୀବ୍ରତାର ଭୂମିକମ୍ପ ହୋଇପାରେ ଏବଂ ଜୀବନ ଏବଂ ସମ୍ପତ୍ତି କ୍ଷତି ହେବାର ସମ୍ଭାବନା ଥାଏ। ବର୍ତ୍ତମାନ କୌଣସି କ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

ସେହିପରି ମିଆଁମାରରେ ମଧ୍ୟ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ମିଆଁମାରରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି । ଭୂମିଠାରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ମିଆଁମାରର ମେଇକଟିଲା ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇଥିବା କି କାହାର ମୃତ୍ୟୁ ଘଟିଥିବା ନେଇ କୌଣସି ସୂଚନା ନହିଁ । 

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏସୀୟ ଦେଶଗୁଡ଼ିକରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି। ୨୮ ମାର୍ଚ୍ଚରେ, ମିଆଁମାରରେ ଏକ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ୨୮ ମାର୍ଚ୍ଚରେ ମିଆଁମାରରେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହା ସମଗ୍ର ଅଞ୍ଚଳରେ ବହୁ ପରିମାଣର ଧନଜୀବନ ହାନୀ କରିଥିଲା। ଏହି ଭୂକମ୍ପର ପ୍ରଭାବ ଆଖପାଖର ଅନେକ ଦେଶରେ ଦେଖାଯାଇଥିଲା। ଏହି ବିନାଶକାରୀ ଭୂକମ୍ପ ପରେ, ସେବେଠାରୁ ଲଗାତାର ଭାବରେ ଭୂକମ୍ପ ଜାରି ରହିଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.